ଓଡ଼ିଶାରାଜନୀତି

ରାମନବମୀ ଶୋଭାଯାତ୍ରାରେ ବିଧାୟକଙ୍କ ଗୁଳି ଚାଳନା: ନବୀନ ଜୈନଙ୍କୁ ଗିରଫ କରିବାକୁ ବିଜେଡିର ଦାବି

ଭୁବନେଶ୍ୱର, ୨୮ ମାର୍ଚ୍ଚ ୨୦୨୬: ପବିତ୍ର ରାମ ନବମୀ ଅବସରରେ ଟିଟିଲାଗଡ଼ରେ ଆୟୋଜିତ ଶୋଭାଯାତ୍ରାରେ ବିଜେପି ବିଧାୟକ ନବୀନ ଜୈନଙ୍କ ଉନ୍ମକ୍ତ କାଣ୍ଡକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଧାୟକ ସର୍ବସାଧାରଣରେ ବନ୍ଧୁକ ବାହାର କରି ଫାଙ୍କା ଗୁଳି ଚାଳନା କରିଥିବା ଅଭିଯୋଗ କରି ବିଜୁ ଜନତା ଦଳ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି। ଆଜି ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତ୍ରୀ ଟୁକୁନୀ ସାହୁ ଏବଂ ମୁଖପାତ୍ର ଡ. ଲେନିନ ମହାନ୍ତି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ବରିଷ୍ଠ ସାଧାରଣ ସମ୍ପାଦିକା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଛନ୍ତି ଯେ, ଜଣେ ଜନପ୍ରତିନିଧି ହୋଇ ଶାନ୍ତିପୂର୍ଣ୍ଣ ଟିଟିଲାଗଡ଼ରେ ଗୁଳି ଫୁଟାଇବା ଏକ ଧର୍ତ୍ତବ୍ୟ ଅପରାଧ। ଏହା ବିଧାୟକଙ୍କ ଅହଂକାର ଓ ଔଦ୍ଧତ୍ୟର ଚରମ ସୀମା। ପୂର୍ବରୁ ହୋଲି ଶୋଭାଯାତ୍ରାରେ ମଧ୍ୟ ସେ ନିଶାସକ୍ତ ଅବସ୍ଥାରେ ଜଣେ କର୍ମୀଙ୍କୁ ଚଳନ୍ତା ଅଟୋରୁ ଠେଲି ଦେଇଥିଲେ, ଯାହାଫଳରେ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସରକାରୀ ଦଳର ବିଧାୟକ ହୋଇଥିବାରୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ, ଯାହା ତାଙ୍କୁ ଆହୁରି ଅପରାଧ କରିବାକୁ ସାହସ ଦେଉଛି।

ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି କହିଛନ୍ତି ଯେ, ବିଜେପି ସରକାରର ମନ୍ତ୍ରୀ ଓ ବିଧାୟକମାନେ ଖୋଲାଖୋଲି ଭାବେ ଆଇନ ଉଲ୍ଲଂଘନ କରୁଛନ୍ତି। କେଉଁଠି ବିଧାୟକ ଗୁଳି ଫୁଟାଉଛନ୍ତି ତ କେଉଁଠି ସ୍ୱାସ୍ଥ୍ୟମନ୍ତ୍ରୀ ବିନା ହେଲମେଟ୍‌ରେ ବାଇକ୍ ଚଲାଉଛନ୍ତି। ଏପରିକି ରାଜଧାନୀରେ ଘରୋଇ ଗାଡ଼ିରେ ନାଲିବତୀ ଲଗାଇ ବିଜେପି କର୍ମୀମାନେ ବିଶୃଙ୍ଖଳା କରୁଥିଲେ ମଧ୍ୟ ପୋଲିସ ନୀରବଦ୍ରଷ୍ଟା ସାଜିଛି। ଓଡ଼ିଶା ଇତିହାସର ସବୁଠାରୁ ଅପାରଗ ଗୃହମନ୍ତ୍ରୀ ଭାବେ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅଭିହିତ କରିଛନ୍ତି।

ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବାରୁ ବିଜୁ ଜନତା ଦଳ ଆଗାମୀ ଦିନରେ ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଧାୟକ ନବୀନ ଜୈନଙ୍କୁ ତୁରନ୍ତ ଗିରଫ ନକଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।

Related Articles

Back to top button