କ୍ରୀଡ଼ା

ଆଜିଠୁ IPL ମହାସମର: ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ RCB ଓ SRH

ବେଙ୍ଗାଲୁରୁ, ୨୮ ମାର୍ଚ୍ଚ ୨୦୨୬: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ ଲିଗ୍ IPL ୨୦୨୬। ପ୍ରଥମ ମ୍ୟାଚରେ ଦୁଇ ଶକ୍ତିଶାଳୀ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ମୁହାଁମୁହିଁ ହେବେ। ଏହି ମ୍ୟାଚକୁ ନେଇ କ୍ରିକେଟ ମୈଦାନଠୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଚଳିତ ବର୍ଷ IPL ଉଦ୍‌ଘାଟନୀ ଉତ୍ସବ ପାଳନ କରାଯିବ ନାହିଁ ବୋଲି ଜଣାପଡ଼ିଛି।

ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଆଜି କାହାର ପଲ୍ଲା ଭାରି ରହିବ? ବେଙ୍ଗାଲୁରୁ ଦଳର ସବୁଠୁ ବଡ଼ ଶକ୍ତି ହେଉଛି ସେମାନଙ୍କ ବ୍ୟାଟିଂ ଲାଇନଅପ୍। ବିରାଟ କୋହଲିଙ୍କ ଅନୁଭବ ଏବଂ ଯୁବ ଖେଳାଳିଙ୍କ ଆକ୍ରମଣାତ୍ମକ ଶୈଳୀ ଦଳକୁ ଏକ ଦୃଢ ସ୍ଥିତିରେ ରଖିଛି। ଚିନ୍ନାସ୍ୱାମୀ ଷ୍ଟାଡିୟମ ହେଉ କିମ୍ବା ଅନ୍ୟ କୌଣସି ମୈଦାନ, RCBର ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାର କ୍ଷମତା ରଖନ୍ତି। ଯଦି ବୋଲରମାନେ ରନ୍ ରୋକିବାରେ ସଫଳ ହୁଅନ୍ତି ତେବେ RCBକୁ ଅଟକାଇବା କଷ୍ଟକର ହେବ।

ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ନିଜର ଶାଣିତ ବୋଲିଂ ଏବଂ ବିସ୍ଫୋରକ ଓପନିଂ ପାଇଁ ବେଶ୍ ପରିଚିତ। ଗତ ସିଜନ ଭଳି ଏଥର ମଧ୍ୟ ଦଳରେ ଟ୍ରାଭିସ୍ ହେଡ୍ ଓ ଅଭିଷେକ ଶର୍ମାଙ୍କ ଭଳି ଖେଳାଳି ଅଛନ୍ତି, ଯେଉଁମାନେ ପାୱାର ପ୍ଲେରେ ମ୍ୟାଚର ଗତିପଥ ବଦଳାଇ ଦେଇପାରନ୍ତି। ହାଇଦ୍ରାବାଦର ବ୍ୟାଟିଂ ଏବଂ ଅଲରାଉଣ୍ଡରଙ୍କ ଉପସ୍ଥିତି ଦଳକୁ ସନ୍ତୁଳିତ କରୁଛି। ସେମାନଙ୍କ ପାଖରେ ଥିବା ବିଶ୍ୱସ୍ତରୀୟ ବୋଲରମାନେ RCB ପାଇଁ କାଳ ହୋଇପାରନ୍ତି।

IPL ଇତିହାସକୁ ଦେଖିଲେ RCB ଏବଂ SRH ମଧ୍ୟରେ ଲଢେଇ ସବୁବେଳେ କଡ଼ାକଡ଼ି ହୋଇଥାଏ। ଯେତେବେଳେ ବି ଏହି ଦୁଇ ଦଳ ମଇଦାନକୁ ଓହ୍ଲାନ୍ତି ରନର ବର୍ଷା ଦେଖିବାକୁ ମିଳେ। IPL ଇତିହାସରେ ଏହି ୨ ଦଳ ୨୫ ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ହାଇଦ୍ରାବାଦ ୧୩ ଥର ବିଜୟୀ ହୋଇଥିବା ବେଳେ ବେଙ୍ଗାଲୁରୁ ୧୧ ଥର ବିଜୟୀ ହୋଇଛି। ସେହିପରି ହାଇଦ୍ରାବାଦ ନାମରେ IPLରେ ସର୍ବାଧିକ ରନର ରେକର୍ଡ ରହିଛି।

ଆଜିର ମ୍ୟାଚରେ ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଯଦି ପିଚ୍ ବ୍ୟାଟିଂ ଅନୁକୂଳ ହୁଏ ତେବେ ପ୍ରଥମେ ବ୍ୟାଟିଂ କରୁଥିବା ଦଳକୁ ୨୦୦ରୁ ଅଧିକ ରନ୍ କରିବାକୁ ପଡ଼ିବ। RCB ପାଖରେ ‘ହୋମ୍ ଆଡଭାଣ୍ଟେଜ୍’ ଏବଂ ବିରାଟ କୋହଲିଙ୍କ ଭଳି ମ୍ୟାଚ୍ ୱିନର ଅଛନ୍ତି, ଅନ୍ୟପଟେ SRH ନିଜର ନିର୍ଭୟ କ୍ରିକେଟ ପାଇଁ ପରିଚିତ। ମୋଟାମୋଟି ଭାବେ କହିବାକୁ ଗଲେ ଆଜି ଏକ ହାଇ-ଭୋଲ୍ଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ ଏବଂ କ୍ରିକେଟ ପ୍ରେମୀଙ୍କ ପାଇଁ ଏହା ଏକ ମନୋରଞ୍ଜନଭରା ସନ୍ଧ୍ୟା ହେବାକୁ ଯାଉଛି।

Related Articles

Back to top button