ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ଏପ୍ରିଲ ୧ରୁ ଆରମ୍ଭ ହେବ ନୂଆ ପଞ୍ଜୀକରଣ

ଭୁବନେଶ୍ୱର, ୨୮ ମାର୍ଚ୍ଚ ୨୦୨୬: ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଏପ୍ରିଲ ୧ ତାରିଖରୁ ନୂତନ ହିତାଧିକାରୀଙ୍କ ପାଇଁ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଅଧିକ ସଂଖ୍ୟକ ଯୋଗ୍ୟ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହି ଆବେଦନ ପ୍ରକ୍ରିୟା ଏପ୍ରିଲ ୧ରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।
ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ହେଉଥିବା ଏହି ନୂତନ ପଞ୍ଜୀକରଣରେ କେବଳ ସେହି ମହିଳାମାନେ ସାମିଲ ହୋଇପାରିବେ, ଯେଉଁମାନେ ପୂର୍ବରୁ ଆବେଦନ କରିନାହାନ୍ତି। ଆବେଦନକାରୀଙ୍କ ବୟସ ୧ ଏପ୍ରିଲ ୨୦୨୬ ସୁଦ୍ଧା ୨୧ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏହା ସହିତ ଆବେଦନକାରୀ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଅନିର୍ବାର୍ଯ୍ୟ। ତେବେ ସରକାରୀ ଚାକିରିଜୀବୀ, ପେନ୍ସନ୍ଭୋଗୀ, ଆୟକର ଦାତା ଏବଂ ବଡ଼ ଜମି ମାଲିକ ପରିବାର ଏହି ଯୋଜନାରୁ ବାଦ୍ ପଡ଼ିବେ।
ଏହି ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଷିକ ଦୁଇଟି କିସ୍ତିରେ ୫୦୦୦ ଟଙ୍କା ଲେଖାଏଁ ମୋଟ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ। ଏହିପରି ଭାବେ ୫ ବର୍ଷରେ ହିତାଧିକାରୀଙ୍କୁ ମୋଟ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିବ। ଏହି ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।
ଆବେଦନକାରୀମାନେ ଅଫିସିଆଲ୍ ପୋର୍ଟାଲ (subhadra.odisha.gov.in) ମାଧ୍ୟମରେ ଅନ୍ଲାଇନ୍ ଆବେଦନ କରିପାରିବେ। ଏହା ବ୍ୟତୀତ ଅଫ୍ଲାଇନ୍ରେ କମନ ସର୍ଭିସ ସେଣ୍ଟର (CSC), ଆମ ସେବା କେନ୍ଦ୍ର (ASK), ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା CDPO ଅଫିସରୁ ମାଗଣାରେ ଫର୍ମ ନେଇ ଆବେଦନ କରାଯାଇପାରିବ। ଆବେଦନ ପାଇଁ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଫଟୋ ଓ ଠିକଣା ପ୍ରମାଣପତ୍ର ଆବଶ୍ୟକ ହେବା ସହ e-KYC କରିବା ମଧ୍ୟ ଜରୁରୀ।




