
ଭୁବନେଶ୍ୱର, ୨୮ ମାର୍ଚ୍ଚ ୨୦୨୬: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିଶୃଙ୍ଖଳିତ ଆଚରଣ ଓ ବାରମ୍ବାର ଆଇନ ଉଲ୍ଲଂଘନକୁ ନେଇ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିନା ହେଲମେଟ୍ରେ ମନ୍ତ୍ରୀ ମଟର ସାଇକେଲ ଚଲାଇବା ଘଟଣାକୁ ନେଇ ବିଜେଡି ତାଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଛି। ଏସସିବି ମେଡିକାଲ କଲେଜ ଆଇସିୟୁ ଅଗ୍ନିକାଣ୍ଡରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ପରେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ଅଚଳ ହୋଇଥିବା ବେଳେ, ମନ୍ତ୍ରୀଙ୍କ ଏଭଳି ବେପରୁଆ ମନୋଭାବକୁ ଦଳ କଡ଼ା ସମାଲୋଚନା କରିଛି।
ବିଜେଡି ମୁଖପାତ୍ର ଡ଼ ଲେନିନ ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ଅସ୍ମିତା ଓ ନୈତିକତାର ପାଠ ପଢ଼ାଉଥିବା ବିଜେପି ସରକାର ପ୍ରତିଦିନ ଏହାର ହତ୍ୟା କରୁଛି। ଏସସିବିରେ ଅଗ୍ନିକାଣ୍ଡ ଘଟି ରୋଗୀମାନେ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁବରଣ କରୁଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ପାରାଦୀପରେ ମଉଜ ମଜଲିସରେ ବ୍ୟସ୍ତ ଥିଲେ। ଏପରିକି ବିଧାନସଭାରେ ସେ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିବା ଭିଡିଓ ଭାଇରାଲ ହୋଇଥିଲେ ମଧ୍ୟ ସରକାର ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏବେ ପବିତ୍ର ରାମ ନବମୀ ଶୋଭାଯାତ୍ରାରେ ମନ୍ତ୍ରୀ ନିଜେ ବିନା ହେଲମେଟ୍ରେ ବାଇକ୍ ଚଲାଇ ଆଇନର ଖୋଲାଖୋଲି ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି।
ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୋଧରେ କେବଳ ଆଚରଣଗତ ସମସ୍ୟା ନୁହେଁ, ବରଂ ଜାଲ୍ ପ୍ରମାଣପତ୍ର ଜରିଆରେ ସଂରକ୍ଷିତ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ନେଇ ଗୁରୁତର ଅଭିଯୋଗ ରହିଛି। ସେ ଅନୁସୂଚିତ ଜାତି ବର୍ଗର ନୁହନ୍ତି ବୋଲି ଦଳ ଅଭିଯୋଗ କରିଛି। ଏଭଳି ସଙ୍ଗୀନ ଅଭିଯୋଗ ଥିବା ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱ ଦେବା ସରକାରଙ୍କ ଆଦର୍ଶ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମନ୍ତ୍ରୀଙ୍କ ଲଗାତାର ବିଶୃଙ୍ଖଳା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନୀରବତା ତାଙ୍କ ପାରିବାପଣିଆ ଉପରେ ସନ୍ଦେହ ସୃଷ୍ଟି କରୁଥିବା ବିଜେଡି କହିଛି।
ରାଜ୍ୟରେ ଜନ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ଏବଂ ମନ୍ତ୍ରୀଙ୍କ ଆଚରଣ ଭଦ୍ର ସମାଜ ପାଇଁ ଗ୍ରହଣୀୟ ହୋଇନଥିବାରୁ ତାଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ବିଜୁ ଜନତା ଦଳ ଦୃଢ ଦାବି କରିଛି। ବିଧାନସଭାରେ ବିରୋଧୀ ବିଧାୟକମାନେ କଳା ଟି-ସାର୍ଟ ପିନ୍ଧି “ଦୁର୍ବଳ ମୁଖ୍ୟମନ୍ତ୍ରୀ ଓ ଶକ୍ତିଶାଳୀ ସ୍ୱାସ୍ଥ୍ୟମନ୍ତ୍ରୀ” ଲେଖି ଯେଉଁ ପ୍ରତିବାଦ କରିଥିଲେ, ତାହା ମନ୍ତ୍ରୀଙ୍କ ବାରମ୍ବାର ଆଇନ ଉଲ୍ଲଂଘନ କାର୍ଯ୍ୟ ଦ୍ୱାରା ଯଥାର୍ଥ ପ୍ରମାଣିତ ହୋଇଛି ବୋଲି ଡ଼ ମହାନ୍ତି ପ୍ରକାଶ କରିଛନ୍ତି।




