ମହାପ୍ରଭୁଙ୍କୁ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ । ଶନିବାର ସପତ୍ନୀକ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ପ୍ରାୟ ୪୫ ମିନିଟ ଧରି ମନ୍ଦିର ପରିସରରେ ରହିଥିବା ବେଳେ ମୁକ୍ତି ମଣ୍ଡପ, ରୋଷ ଘର ବୁଲି ଦେଖିଛନ୍ତି ଉପେନ୍ଦ୍ର । ପୁରୀକୁ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସୁଯୋଗ ମିଳିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ଆଗାମୀ ଦିନରେ ଯେକୌଣସି ପରିସ୍ଥିତି ଆସୁ ଭାରତୀୟ ସେନା ତା’କୁ କିଭଳି ସାମ୍ନା କରିବେ ଏବଂ ଭାରତୀୟ ସେନା ମାନଙ୍କ ଶକ୍ତି କିଭଳି ଅଧିକ ବୃଦ୍ଧି ପାଇବ ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେହିପରି ମନରେ ଶାନ୍ତି ଓ ପବିତ୍ରତା ଅନୁଭବ ହେଉଥିବା ସେ କହିଛନ୍ତି ।
ସକାଳ ୭ଟାରେ ସିଂହଦ୍ୱାରରେ ପହଞ୍ଚିବା ପରେ ସେବାୟତ ଓ ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ପତାକା ଦିଆଯାଇ ସ୍ୱାଗତ କରାଯାଇଥିଲା । ଏହାପରେ କୌଳିକ ପଣ୍ଡା ଉଭୟଙ୍କୁ ନେଇ ଦର୍ଶନ କରାଇଥିଲେ । ଅରୁଣ ସ୍ତମ୍ଭ ଓ ପତିତପାବନଙ୍କୁ ମୁଣ୍ଡିଆ ମାରି ବାଇଶି ପାହାଚ ଦେଇ ଭିତରକୁ ପ୍ରବେଶ କରିଥିଲେ । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଉପେନ୍ଦ୍ର ପୁରୀ ସୈନିକ ସଦନରେ କିଛି ସମୟ ଅତିବାହିତ କରିଥିଲେ । ଏହାପରେ ତାଳବଣିଆ ହେଲିପ୍ୟାଡ ଯାଇ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଗୋପାଳପୁରର ମିଲିଟାରୀ ଷ୍ଟେସନ ଅଭିମୁଖେ ବାହାରି ଯାଇଛନ୍ତି । ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ଅସ୍ତ୍ର ଶସ୍ତ୍ର ପ୍ରଦର୍ଶନୀ ଦେଖିବା ସହ ପ୍ରଶିକ୍ଷଣ ଶିବିରର ସେ ତଦାରଖ କରିବେ । ଶୁକ୍ରବାର ଭୁବନେଶ୍ୱରରେ ପହଁଞ୍ଚିବା ପରେ ରାଜ୍ୟପାଳ ହରିବାବୁ କମ୍ଭବପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ଉପେନ୍ଦ୍ର ଦ୍ୱିବେଦୀ ।




