ଓଡ଼ିଶାରାଜନୀତି

ଗଞ୍ଜାମ ହୋମଗାର୍ଡ ପରୀକ୍ଷାରେ ମହାଦୁର୍ନୀତି ଅଭିଯୋଗ: ଏସପି ଓ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟିକରଣ ଦାବି କଲା ବିଜେଡି

ଭୁବନେଶ୍ୱର, ୨୮ ମାର୍ଚ୍ଚ ୨୦୨୬: ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ପରୀକ୍ଷା ପରିଚାଳନାରେ ଆଉ ଏକ ବଡ଼ ଧରଣର ଦୁର୍ନୀତି ସାମ୍ନାକୁ ଆସିଛି। ଗଞ୍ଜାମ ଜିଲ୍ଲା ହୋମଗାର୍ଡ ପରୀକ୍ଷା ଫଳାଫଳ ପ୍ରକାଶନରେ ସାଂଘାତିକ ତ୍ରୁଟି ଓ ସ୍ୱଚ୍ଛତାକୁ ନେଇ ବିଜୁ ଜନତା ଦଳ ସରକାରଙ୍କୁ କଡ଼ା ପ୍ରଶ୍ନ କରିଛି। ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତୁମ୍ବନାଥ ପଣ୍ଡା ଏହି ଚୟନ ପ୍ରକ୍ରିୟାରେ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ କରିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି ଯେ, ଗତ ୨୬ ତାରିଖରେ ଜିଲ୍ଲା ହୋମଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ସଂଖ୍ୟା ୧୬୫/ଏଚଜିଏସ୍ ଜରିଆରେ ଏକ ମେଧା ତାଲିକା ପ୍ରକାଶ ପାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଗଞ୍ଜାମ ଏସପି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସମାନ ଚିଠି ନମ୍ବର ଥାଇ ଏକ ଭିନ୍ନ ଫଳାଫଳ ସୂଚୀ ପୋଷ୍ଟ କରିଛନ୍ତି। ଏଭଳି ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ କେଉଁ ଫଳାଫଳଟି ଠିକ୍, ସେ ନେଇ ଗୃହମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ଡିଜିପି ସ୍ପଷ୍ଟିକରଣ ଦିଅନ୍ତୁ ବୋଲି ବିଜେଡି ଦାବି କରିଛି। ଏସପିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଭଳି ଭିନ୍ନ ତାଲିକା ସ୍ଥାନ ପାଇଲା, ସେ ନେଇ ସେ ନିଜେ ଜବାବ ରଖିବା ଆବଶ୍ୟକ ବୋଲି ଦଳ କହିଛି।

ବିଜେଡି ଅଭିଯୋଗ କରିଛି ଯେ, ଏହି ସରକାରଙ୍କ ୨୦ ମାସର ଶାସନ କାଳରେ ୨୦ଟି ପରୀକ୍ଷାରେ ବିଭ୍ରାଟ ଦେଖାଦେଇଛି। ଏହି ହୋମଗାର୍ଡ ପରୀକ୍ଷାରେ ପ୍ରତି ପରୀକ୍ଷାର୍ଥୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲେଖାଏଁ ଲାଞ୍ଚ ନିଆଯାଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏସଆଇ (SI) ସ୍କାମରେ ମଧ୍ୟ ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହୋଇଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲାରେ ପରୀକ୍ଷା ସମ୍ପର୍କିତ ସବୁଠାରୁ ଅଧିକ ମହାଦୁର୍ନୀତି ହୋଇଥିବା ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ଯୁବକଯୁବତୀମାନେ ଚାକିରି କ୍ଷେତ୍ରରେ ବାରମ୍ବାର ପ୍ରତାରିତ ହେଉଥିବାରୁ ଏହା ଏକ ଗୁରୁତର ବିଷୟ ବୋଲି ଦଳ କହିଛି।

ଆଗାମୀ ଦିନରେ ଯଦି ସରକାର ଏହି ଘଟଣାରେ ସ୍ପଷ୍ଟିକରଣ ନଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏହି ମାମଲାକୁ ରାଜ୍ୟ ସ୍ତରରୁ ନେଇ ଜାତୀୟ ମାନବାଧିକାର ଆୟୋଗ ପର୍ଯ୍ୟନ୍ତ ନିଆଯିବ ଏବଂ ପରୀକ୍ଷାର୍ଥୀଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଶ୍ରୀ ପଣ୍ଡା ସ୍ପଷ୍ଟ କରିଛନ୍ତି।

Related Articles

Back to top button