
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଫେବୃଆରୀ ୧୮ରୁ ଆରମ୍ଭ ହୋଇଥିବା ଯୁକ୍ତ ୨ ପରୀକ୍ଷା ଶନିବାର ଅର୍ଥାତ୍ ମାର୍ଚ୍ଚ ୨୮ରେ ଶେଷ ହୋଇଛି । ଆସନ୍ତା ଏପ୍ରିଲ ୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ । ଏଥିପାଇଁ ୩୦ଟି ଜିଲ୍ଲାରେ ୧୫୧ଟି ମୂଲ୍ୟାୟନ କେନ୍ଦ୍ର ଖୋଲାଯିବ । ଖାତାଦେଖା ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ ହେବ । ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ଇ-ମୂଲ୍ୟାୟନ ହେବ । ଏହା ସହିତ ଡିଜିଟାଲ୍ ମୋଡରେ କାମ କରିବ ୭୫ଟି କେନ୍ଦ୍ର । ଅନ୍ୟପଟେ ୭୬ଟି କେନ୍ଦ୍ରରେ ପାରମ୍ପରିକ ଭାବରେ ଖାତା ଦେଖାଯିବ । କଳା ବିଭାଗରେ କେବଳ ଇଂରାଜୀ ବିଷୟର ଇ-ମୂଲ୍ୟାୟନ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରସ୍ତୁତି ଅନୁଯାୟୀ ଯଦି ସବୁ ଠିକଠାକ୍ ରୁହେ ତେବେ ମେ ମାସର ତୃତୀୟ କିମ୍ବା ଚତୁର୍ଥ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇପାରେ ।
ଚଳିତ ଥର କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେବା ପାଇଁ ମୋଟ୍ ୪ ଲକ୍ଷ ୧, ୬୨୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୯୬ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଶେଷ କରିଛନ୍ତି । ଅର୍ଥାତ୍ ଅନୁପସ୍ଥିତ ରହିଛନ୍ତି ୫୦୩୧ ଜଣ ଛାତ୍ରଛାତ୍ରୀ ।




