
ଭୁବନେଶ୍ୱର, ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂରେ ବୈଠକ ବସିବ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଓ ଏହାର ପ୍ରଭାବ ନେଇ ଆଲୋଚନା ହେବ। ଟିମ୍ ଇଣ୍ଡିଆ ସ୍ପିରିଟ୍ ନେଇ କାମ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇପାରନ୍ତି ପ୍ରଧାନମନ୍ତ୍ରୀ। ନିକଟରେ ପାର୍ଲାମେଣ୍ଟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଯୁଦ୍ଧର ପ୍ରଭାବ ଦୀର୍ଘସ୍ଥାୟୀ ହୋଇପାରେ। ଆଗାମୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରୁହନ୍ତୁ। କରୋନା ଭଳି କେନ୍ଦ୍ର ଓ ରାଜ୍ୟ ଏକାଠି ଟିମ୍ ଇଣ୍ଡିଆ ଭାବେ କାମ କରିବାକୁ ହେବ। ତେଣୁ ଆଜି ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇପାରନ୍ତି ପ୍ରଧାନମନ୍ତ୍ରୀ।ବୈଠକରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ସାମିଲ ହେବେ ନାହିଁ। ଆଦର୍ଶ ଆଚରଣ ବିଧି ଲାଗିଥିବାରୁ ସେସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ ନାହିଁ। ନିର୍ବାଚନ ହେବାକୁ ଥିବା ରାଜ୍ୟର ମୁଖ୍ୟ ସଚିବଙ୍କ ବୈଠକ ନେବେ କ୍ୟାବିନେଟ୍ ସଚିବ।




