ଚଳଚଞ୍ଚଳ ଏକାମ୍ର କ୍ଷେତ୍ର: ରୁକୁଣା ରଥରେ ବିରାଜିବେ ମହାପ୍ରଭୁ ଲିଙ୍ଗରାଜ
ଆଜିଠୁ ଆରମ୍ଭ ହେଉଛି ଭବ୍ୟ ମହୋତ୍ସବ

ଭୁବନେଶ୍ବର: ଆଜି ପବିତ୍ର ଅଶୋକାଷ୍ଟମୀ । ଏହି ଅବସରରେ ଏକାମ୍ର କ୍ଷେତ୍ର ରାଜାଧିରାଜ ପ୍ରଭୁ ଲିଙ୍ଗରାଜଙ୍କ ଭବ୍ୟ ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ମହାପ୍ରଭୁଙ୍କୁ ସ୍ବାଗତ କରିବା ପାଇଁ ରଥଦାଣ୍ଡ ଅପେକ୍ଷାରତ । ରଥ ଓ ପଥ ଭଭୟ ପ୍ରସ୍ତୁତ । ମହାପ୍ରଭୁଙ୍କ ଭବ୍ୟ ରଥଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ଭକ୍ତଙ୍କ ଗହଳ ଚହଳରେ ମୁଖରିତ ହୋଇ ଉଠିଛି ।
ଏକାମ୍ର କ୍ଷେତ୍ରର ପବିତ୍ର ରଥଦାଣ୍ଡରେ ଆଜି ଗଡିବ ଅଣଲେଉଟା ରୁକୁଣା ରଥ । ଏଥିପାଇଁ ଆଜିର ନୀତିକାନ୍ତି ଓ ପୂଜାର୍ଚ୍ଚନା ଯଥାରୀତି ଚାଲିଛି । ଭୋର ୪ଟାରୁ ୪ଟା ୩୦ ମଧ୍ୟରେ ଠାକୁରଙ୍କ ମଙ୍ଗଳ ଆଳତି ସମାପନ ହେବା ପରେ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା । ଏହା ପରେ ମହାସ୍ନାନ, ସୂର୍ଯ୍ୟପୂଜା ଓ ଠାକୁରଙ୍କ ବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସକାଳ ଧୂପ ସହ ଯାତ୍ରା ପୂଜା ନୀତି ଚାଲିଛି । ଏହା ପରେ ଶ୍ରୀଜିଉଙ୍କ ପହଣ୍ଡି ନୀତି ଅନୁଷ୍ଠିତ ହେବ । ପ୍ରଭୁ ଲିଙ୍ଗରାଜ ରଥାରୁଢ଼ ହୋଇ ରଥରେ ପୂଜା ପାଇବେ ।




