Uncategorized

ବଢ଼ିବନି ବିଧାୟକଙ୍କ ଦରମା : ବିଲ୍ ପ୍ରତ୍ୟାହାର ପାଇଁ ମୋହନ ସରକାରଙ୍କ ନୋଟିସ୍

ଭୁବନେଶ୍ୱର: ଗତ ବିଧାନସଭାରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲେ ମୋହନ ସରକାର । ଅହେତୁକ ଭାବେ ଦରମା ବୃଦ୍ଧି ହୋଇଥିବାରୁ ବିରୋଧର ସମ୍ମୁଖୀନ ହୋଇଥିଲେ ସରକାର । ସାଧାରଣ ଜନତାଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବ୍ୟାକଫୁଟରେ ସରକାର । ଦରମା ବୃଦ୍ଧି ବିଲକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଦରମା ବିଲ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଛନ୍ତି ବିଧାନସଭା ସଚିବ ସତ୍ୟବ୍ରତ ରାଉତ । ବିଲ ପ୍ରତ୍ୟାହାର ପ୍ରସ୍ତାବ ନେଇ ଆଜି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ବିଗତ ବର୍ଷ ତଥା ଶୀତକାଳୀନ ଅଧିବେଶନରେ ବିଲ ଆଗତ କରି ବାଚସ୍ପତି, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଥିଲା । ନୂଆ ବିଲ ବିଧାନସଭାରେ ପାସ ହେବା ପରେ ଦରମା ଓ ଆନୁସଙ୍ଗିକ ଭତ୍ତା ବାବଦକୁ ୩ ଲକ୍ଷ ୪୫ ହଜାର ଟଙ୍କା ଓଡ଼ିଶାର ବିଧାୟକମାନଙ୍କୁ ମିଳିଥାନ୍ତା । ବିଧାୟକଙ୍କ ଦରମା ସମ୍ପର୍କରେ ତଥ୍ୟ ସାର୍ବଜନୀନ ହେବା ପରେ ବିଭିନ୍ନ ଦିଗରୁ ବିଧାୟକଙ୍କ ଦରମା ବୃଦ୍ଧି ବିଲ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି । ବିରୋଧ ଓ ଶାସକ ଦଳର ବିଧାୟକ ଭତ୍ତା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହା ପରେ ଆଜି ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଜନସାଧାରଣଙ୍କ ଚାପରେ ଚେପା ହୋଇ ଦରମା ବୃଦ୍ଧି ବିଲକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତେଣୁ ଦରମା ବିଲ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଛନ୍ତି ବିଧାନସଭା ସଚିବ ସତ୍ୟବ୍ରତ ରାଉତ ।

Related Articles

Back to top button