
ଭୁବନେଶ୍ୱର, ୨୪ ମାର୍ଚ୍ଚ ୨୦୨୬: ରାଜ୍ୟସଭା ନିର୍ବାଚନରେ ବିଶ୍ୱାସଘାତକତା ଏବଂ ଅନୈତିକ ଭୋଟ୍ ଦାନକୁ ନେଇ ଓଡ଼ିଶା ରାଜନୀତି ଏବେ ସରଗରମ ହୋଇଉଠିଛି। ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକଠାରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ଏହି ଅବସରରେ ଦଳୀୟ ନିର୍ଦ୍ଦେଶ ଅମାନ୍ୟ କରିଥିବା ୩ ଜଣ ନିଲମ୍ବିତ କଂଗ୍ରେସ ବିଧାୟକ ରମେଶ ଜେନା, ଦାଶରଥି ଗମାଙ୍ଗୋ ଓ ସୋଫିଆ ପିର୍ଦ୍ଦୋଶଙ୍କ ସମେତ ସାଂସଦ ଦିଲୀପ ରାୟଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସ୍ୱାଧୀନ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କୁ ଭୋଟ୍ ଦେବା ପାଇଁ ଏଆଇସିସି (AICC) ର ସ୍ପଷ୍ଟ ନିର୍ଦ୍ଦେଶ ଥିବା ସତ୍ତ୍ୱେ ଏହି ବିଧାୟକମାନେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ ଭୋଟ୍ ଦେଇ ଦଳ ପ୍ରତି ବିଶ୍ୱାସଘାତକତା କରିଥିବା ଯୁବ କଂଗ୍ରେସ ଅଭିଯୋଗ କରିଛି।
ଯୁବ କଂଗ୍ରେସ ସଭାପତି ଶ୍ରୀ ପାତ୍ର ଏହି ଘଟଣାକୁ ଗଣତନ୍ତ୍ର ପ୍ରତି ଏକ କୁଠାରଘାତ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ଏହି ୩ ଜଣ ବିଧାୟକ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ସୋନିଆ ଗାନ୍ଧୀଙ୍କ ଭରସାକୁ ଭାଙ୍ଗିଛନ୍ତି। ଦିଲୀପ ରାୟଙ୍କ ବିଜୟ ପଛରେ ବ୍ୟାପକ ‘ଘୋଡ଼ା ବେପାର’ ବା ଅର୍ଥ କାରବାର ହୋଇଥିବା ନେଇ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି। କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ସବୁବେଳେ ଅସାମ୍ବିଧାନିକ ଉପାୟରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛନ୍ତି ଏବଂ ଏଭଳି କାର୍ଯ୍ୟକୁ ଓଡ଼ିଶାର ଜନସାଧାରଣ କଦାପି କ୍ଷମା କରିବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ ଯୁବ କଂଗ୍ରେସ ଆଗାମୀ ଦିନରେ ଏହି ଲଢ଼େଇକୁ ଆହୁରି ଜୋରଦାର କରିବ ବୋଲି ଶ୍ରୀ ପାତ୍ର ଚେତାବନୀ ଦେଇଛନ୍ତି।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସୁଦୀପ ସାମଲ, ସତ୍ୟଜିତ ପଟ୍ଟନାୟକ, ଆଲୋକ ଦାସ ଏବଂ ଶତାଧିକ ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ରହି ବିଧାୟକମାନଙ୍କର ଏତାଦୃଶ ହୀନ କାର୍ଯ୍ୟକୁ ତୀବ୍ର ନିନ୍ଦା କରିଥିଲେ। ରାଜ୍ୟସଭା ଭୋଟ୍ରେ ଦଳୀୟ ଅନୁଶାସନ ଭଙ୍ଗ କରିଥିବା ଏହି ନେତାମାନଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ବେଳେ ଏବେ ସେମାନଙ୍କ ବିରୋଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି।




