
ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ SCB ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣାକୁ ନେଇ ଗୃହ ଅଶାନ୍ତ ହୋଇପଡ଼ିଛି। ସୋମବାର ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ସହ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରିନାହିଁ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଏବଂ SCB ଅଧିକ୍ଷକଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ।
“ଅଗ୍ନିକାଣ୍ଡ ପାଇଁ ଦାୟୀ କିଏ?”, “ମୋହନ ସରକାର ହାଏ ହାଏ” ଏବଂ “ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ” ପରି ସ୍ଲୋଗାନରେ ଗୃହ କମ୍ପିଥିଲା। ବିରୋଧୀଙ୍କ ନଛୋଡ଼ବନ୍ଧା ଆଭିମୁଖ୍ୟ ଯୋଗୁଁ ବାରମ୍ବାର ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।




