
ଭୁବନେଶ୍ୱର, ୨୩ ମାର୍ଚ୍ଚ ୨୦୨୬: ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏକ ଗର୍ବର ବିଷୟ ସାମ୍ନାକୁ ଆସିଛି। ଜନପ୍ରିୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀଙ୍କ ଦ୍ୱାରା ଗାନ କରାଯାଇଥିବା ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡିଓ ଲିଙ୍କ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘X’ (ପୂର୍ବର ଟ୍ୱିଟର)ରେ ପୋଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଗୀତର ଲିଙ୍କ୍ ଶେୟାର କରିବା ସହ ହିନ୍ଦୀରେ ଲେଖିଛନ୍ତି ଯେ, ମାତାଙ୍କ ପ୍ରତି ଭକ୍ତିରେ ଏକ ଅନନ୍ୟ ଶକ୍ତି ରହିଛି ଏବଂ ମାଆଙ୍କ ଆରାଧନା ଦ୍ୱାରା ଭକ୍ତଙ୍କ ମନ ସକାରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହୋଇଥାଏ। ଚୈତ୍ର ନବରାତ୍ରି ଚାଲିଥିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ଓଡ଼ିଆ କଳାକାର ଓ ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଖେଳାଇ ଦେଇଛି।
ଏହି ସଫଳତାକୁ ନେଇ କଣ୍ଠଶିଳ୍ପୀ ଦୀପ୍ତିରେଖା ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଏହି ଭିଡିଓଟି ପ୍ରାୟ ୪ ବର୍ଷ ତଳର ହୋଇଥିବା ବେଳେ ବର୍ତ୍ତମାନ ନବରାତ୍ରି ସମୟରେ ପ୍ରଧାନମନ୍ତ୍ରୀ ଏହାକୁ ନିଜର ଫେସବୁକ୍, ‘X’ ଏବଂ ହ୍ୱାଟ୍ସଆପ୍ ଗ୍ରୁପ୍ରେ ପୋଷ୍ଟ କରିବା ତାଙ୍କ ପାଇଁ ଏକ ଅପ୍ରତ୍ୟାଶିତ ଉପହାର। ସେ କେବେ ଭାବି ନଥିଲେ ଯେ ଦେଶର ପ୍ରଧାନମନ୍ତ୍ରୀ ତାଙ୍କ ଗୀତକୁ ଏଭଳି ଭାବେ ପ୍ରଶଂସା କରିବେ। ଏହି ସଫଳତା ପାଇଁ ସେ ଗୀତର ଲେଖକ ଶରତ ଚନ୍ଦ୍ର ମହାପାତ୍ର ଏବଂ ସଙ୍ଗୀତ ନିର୍ଦ୍ଦେଶକ ତଥା ତାଙ୍କ ଗୁରୁ ପ୍ରଦୀପ କୁମାର ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ଏହି ଭଜନଟିର ସୁଟିଂ କଟକସ୍ଥିତ ପ୍ରସିଦ୍ଧ ମା’ ଧାକୁଲେଇ ପୀଠରେ କରାଯାଇଥିଲା। ସମ୍ପୂର୍ଣ୍ଣ ଟିମ୍ର କଠିନ ପରିଶ୍ରମ ଯୋଗୁଁ ଆଜି ଏହି ଓଡ଼ିଆ ଭଜନ ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିପାରିଛି। ପ୍ରଧାନମନ୍ତ୍ରୀଙ୍କ ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଦୀପ୍ତିରେଖାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହା କେବଳ ଦୀପ୍ତିରେଖାଙ୍କ ପାଇଁ ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ପାଇଁ ଏକ ବଡ଼ ସମ୍ମାନ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।




