
ଭୁବନେଶ୍ୱର, ୨୩ ମାର୍ଚ୍ଚ ୨୦୨୬: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଏବଂ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟଙ୍କ ବିଜୟ ପରେ ଓଡ଼ିଶା ରାଜନୀତିରେ ବାକଯୁଦ୍ଧ ତୀବ୍ର ହୋଇଛି। ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ପୁରୁଖା ନେତାମାନେ ବିଜୟ ମହାପାତ୍ର ଏବଂ ପ୍ରଭାତ ତ୍ରିପାଠୀଙ୍କ ଉପରେ ବର୍ଷିଛନ୍ତି। ବିଜେଡି ଅଭିଯୋଗ କରିଛି ଯେ, ଯେଉଁ ନେତାମାନେ ଆଜି ‘ବିଜୁ ଲିଗାସୀ’ ବା ବିଜୁ ପଟ୍ଟନାୟକଙ୍କ ଆଦର୍ଶ କଥା କହୁଛନ୍ତି, ସେମାନେ ହିଁ ଅତୀତରେ ବିଜୁ ବାବୁଙ୍କୁ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ କରାଇ ନଦେବା ପାଇଁ ଗଭୀର ଚକ୍ରାନ୍ତ କରିଥିଲେ। ୧୯୯୫ ମସିହାରେ ବିଜୁ ବାବୁଙ୍କ ସପକ୍ଷରେ ହାୱା ଥିବା ସତ୍ତ୍ୱେ ଏହି ନେତାମାନେ ସମାନ୍ତରାଳ ପ୍ରାର୍ଥୀ ଦେଇ ଦଳକୁ ପରାଜିତ କରିଥିଲେ ଏବଂ ୧୯୯୬ରେ ସେ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ପାଇଥିବା ବେଳେ ଏହି ଚକ୍ରାନ୍ତକାରୀମାନେ ତାହାକୁ ଭଣ୍ଡୁର କରିଥିଲେ।
ବିଜେଡି ବିଧାୟକ ଶ୍ରୀ ବ୍ୟୋମକେଶ ରାୟ ଏବଂ ଶ୍ରୀ ଧ୍ରୁବ ଚରଣ ସାହୁ କହିଛନ୍ତି ଯେ, ବର୍ତ୍ତମାନର ବିଶୃଙ୍ଖଳିତ ଆଚରଣ ଏବଂ କ୍ରସ୍ ଭୋଟିଂ କୌଣସି ଆଦର୍ଶ ପାଇଁ ନୁହେଁ, ବରଂ କେବଳ ଟଙ୍କା ପାଇଁ କରାଯାଇଥିବା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ। ବିଜୟ ମହାପାତ୍ର ଏବଂ ପ୍ରଭାତ ତ୍ରିପାଠୀଙ୍କୁ ସମାଲୋଚନା କରି ସେମାନେ କହିଛନ୍ତି ଯେ, ୧୯୯୨ ମଦ ମୃତ୍ୟୁ ମାମଲାରୁ ନିଜକୁ ବଞ୍ଚାଇବା ପାଇଁ ଏମାନେ ସେତେବେଳେ ମଧ୍ୟ କ୍ରସ୍ ଭୋଟିଂ କରିଥିଲେ, ଯେଉଁଥିପାଇଁ ବିଜୁ ବାବୁ ସେମାନଙ୍କୁ ଦଳରୁ ବହିଷ୍କାର ଓ ସସ୍ପେଣ୍ଡ କରିଥିଲେ। ଆଜି ସେହି ସମାନ ଲୋକମାନେ ନବୀନ ପଟ୍ଟନାୟକଙ୍କ ବିରୋଧରେ ଚକ୍ରାନ୍ତ କରୁଛନ୍ତି ଏବଂ ଜନ ଆକ୍ରୋଶରୁ ରକ୍ଷା ପାଇବା ପାଇଁ ବିଜୁ ଲିଗାସୀର ମିଛ ଦ୍ରୋହୀ ଦେଉଛନ୍ତି।
ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ବିଦ୍ରୋହୀ ବିଧାୟକଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ, ଯଦି ସେମାନଙ୍କର ସାହସ ଅଛି, ତେବେ ବିଧାୟକ ପଦରୁ ଇସ୍ତଫା ଦେଇ ସାନି ନିର୍ବାଚନ ଲଢ଼ନ୍ତୁ। କ୍ରସ୍ ଭୋଟିଂ କରିଥିବା ବିଧାୟକମାନେ କେବଳ କ୍ଷମତା ଉପଭୋଗ କରିବା ପାଇଁ ଦଳରେ ଥିଲେ ଏବଂ ସେମାନଙ୍କୁ ସସ୍ପେଣ୍ଡ କରି ନବୀନ ବାବୁ ଉଚିତ୍ ପଦକ୍ଷେପ ନେଇଛନ୍ତି। ଦଳରୁ ବିଶୃଙ୍ଖଳିତ ନେତାଙ୍କୁ ବାହାର କରିବା ପାଇଁ ଏବଂ ସେମାନଙ୍କ ବିଧାୟକ ପଦ ରଦ୍ଦ କରିବା ପାଇଁ ବିଜେଡି ଖୁବଶୀଘ୍ର ଆଇନଗତ ପଦକ୍ଷେପ ନେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଜୁ ବାବୁଙ୍କ ବିରୋଧରେ ଚକ୍ରାନ୍ତ କରିଥିବା ନେତାଙ୍କ ମୁହଁରେ ‘ବିଜୁ ଲିଗାସୀ’ କଥା ସୈତାନର ବେଦପାଠ ସଦୃଶ ବୋଲି ଦଳ କଟାକ୍ଷ କରିଛି।




