ଓଡ଼ିଶାରାଜନୀତି

ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାର ଓଡ଼ିଶା ପାଇଁ ଲଜ୍ଜାଜନକ: ବିଜେପି-ବିଜୟ ଚକ୍ରାନ୍ତକୁ ନେଇ ବର୍ଷିଲା ବିଜେଡି

ଭୁବନେଶ୍ୱର, ୨୩ ମାର୍ଚ୍ଚ ୨୦୨୬: ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ବିଜୟ ପରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଗୁରୁତର ଅଭିଯୋଗ ଅଣାଯାଇଛି। ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି କହିଛନ୍ତି ଯେ, କୋଇଲା ଖଣି ଆବଣ୍ଟନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ବିଜେପି ସମର୍ଥନ ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇବା ଏବଂ ‘ଘୋଡ଼ା ବେପାର’ ମାଧ୍ୟମରେ ଜିତାଇବା ଓଡ଼ିଶା ପାଇଁ ଅତ୍ୟନ୍ତ ନିନ୍ଦିତ ଓ ଲଜ୍ଜାଜନକ ବିଷୟ। ଏହି ନିର୍ବାଚନରେ କଳା ଟଙ୍କାର ବ୍ୟବହାର କରାଯାଇ ବିଜେଡି ବିଧାୟକଙ୍କୁ କ୍ରସ୍ ଭୋଟିଂ ପାଇଁ ପ୍ରୋତ୍ସାହିତ କରାଯାଇଛି, ଯାହା ଗଣତନ୍ତ୍ର ପ୍ରତି ଏକ ବଡ଼ ଆଘାତ ବୋଲି ସେ ଦର୍ଶାଇଛନ୍ତି।

ଡକ୍ଟର ମହାନ୍ତି ଆହୁରି କହିଛନ୍ତି ଯେ, ବିଜେଡି ବିରୋଧରେ ହେଉଥିବା ଷଡ଼ଯନ୍ତ୍ର ଏବେ ଲୋକଲୋଚନକୁ ଆସିଛି। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସଦ୍ୟତମ ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ଯେ ଦିଲ୍ଲୀପ ରାୟଙ୍କୁ ଜିତାଇବା ପାଇଁ ପ୍ରାୟ ତିନି ମାସ ତଳୁ ଏକ ‘ବ୍ଲୁ-ପ୍ରିଣ୍ଟ’ ପ୍ରସ୍ତୁତ କରାଯାଇଥିଲା। ଏହି ଚକ୍ରାନ୍ତକୁ ଆଖିରେ ରଖି ଦଳ ପୂର୍ବରୁ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ଭଳି ବିଧାୟକଙ୍କୁ ନିଲମ୍ବନ କରିଥିଲା, ଯାହା ଏବେ ସମ୍ପୂର୍ଣ୍ଣ ଯଥାର୍ଥ ସାବ୍ୟସ୍ତ ହୋଇଛି। କ୍ରସ୍ ଭୋଟିଂ କରିଥିବା ବିଧାୟକମାନେ ନିଜ ନିର୍ବାଚନ ମଣ୍ଡଳୀରେ ଜନଆକ୍ରୋଶର ସମ୍ମୁଖୀନ ହେଉଥିବାରୁ ଏବେ ନିଜକୁ ରକ୍ଷା କରିବା ପାଇଁ ‘ବିଜୁ ଲିଗାସୀ’ ବା ବିଜୁ ବାବୁଙ୍କ ଆଦର୍ଶର ଦ୍ରୋହୀ ଦେଉଛନ୍ତି।

ବିଜେଡି ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ଆଜି ବିଜୁ ଲିଗାସୀ କଥା କହୁଛନ୍ତି, ବିଜେପି ଶାସନ କାଳରେ ବିଜୁ ବାବୁଙ୍କ ପ୍ରତିଷ୍ଠା ଓ ସମ୍ମାନ ହାନି ହେଉଥିବା ବେଳେ ସେମାନେ ନୀରବ ରହିଥିଲେ। ବିଜୁ ବାବୁଙ୍କ ନାମରେ ଥିବା ଯୋଜନାଗୁଡ଼ିକର ନାମ ପରିବର୍ତ୍ତନ କରାଯିବା ଏବଂ ପଞ୍ଚାୟତିରାଜ ଦିବସ ପାଳନ ବନ୍ଦ କରାଯିବା ସତ୍ତ୍ୱେ ଏହି ନେତାମାନେ କୌଣସି ପ୍ରତିବାଦ କରିନଥିଲେ। ବର୍ତ୍ତମାନ ନିଜର ‘କଳା କାରନାମା’କୁ ଢାଙ୍କିବା ପାଇଁ ଏମାନେ ବିଜୁ ବାବୁଙ୍କ ନାମ ବ୍ୟବହାର କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଏବଂ ଅର୍ଥ ବିନିମୟରେ ଭୋଟ୍ ଦେଇଥିବା ବିଧାୟକମାନଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ବିଜେଡି ଖୁବଶୀଘ୍ର ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସ୍ପଷ୍ଟ ସୂଚନା ଦିଆଯାଇଛି।

Related Articles

Back to top button