
ଭୁବନେଶ୍ୱର,୨୩/୦୩/୨୦୨୬: ସୁନା କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତୀୟ ବଜାରରେ ସୁନା ମୂଲ୍ୟ ଏହାର ସର୍ବକାଳୀନ ରେକର୍ଡ ସ୍ତରରୁ ହ୍ରାସ ପାଇଛି । ଗତ ଏକ ସପ୍ତାହ ମଧ୍ୟରେ ସୁନା ଦରରେ ପ୍ରାୟ ୧୧ ପ୍ରତିଶତ ହ୍ରାସ ଘଟିଛି, ଯାହା ନିକଟ ଅତୀତରେ ସବୁଠାରୁ ବଡ଼ ହ୍ରାସ ବୋଲି କୁହାଯାଉଛି। ବିଶେଷ କରି ଗତ ଦୁଇ ମାସ ମଧ୍ୟରେ ୧୦ ଗ୍ରାମ ସୁନାର ମୂଲ୍ୟ ପ୍ରାୟ ୩୨,୦୦୦ ଟଙ୍କା ପର୍ଯ୍ୟନ୍ତ କମିଥିବା ବେଳେ ଗତ କିଛି ଦିନ ମଧ୍ୟରେ ଏହା ପ୍ରାୟ ୭,୦୦୦ ଟଙ୍କା ହ୍ରାସ ପାଇଛି। ଏହି ଅପ୍ରତ୍ୟାଶିତ ମୂଲ୍ୟ ହ୍ରାସ ଯୋଗୁଁ ଗହଣା ଦୋକାନଗୁଡ଼ିକରେ କ୍ରେତାଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି।
କେବଳ ସୁନା ନୁହେଁ, ରୁପା ମୂଲ୍ୟରେ ମଧ୍ୟ ବଡ଼ ଧରଣର ଅସ୍ଥିରତା ଦେଖିବାକୁ ମିଳିଛି। ରୁପା କିଲୋ ପ୍ରତି ପ୍ରାୟ ୧୪,୦୦୦ ଟଙ୍କା ଶସ୍ତା ହୋଇଛି। ବିଶ୍ୱ ବଜାରରେ ଆର୍ଥିକ ପରିବର୍ତ୍ତନ ଏବଂ ଅନ୍ତର୍ଜାତୀୟ ସ୍ତରରେ ଡଲାରର ମୂଲ୍ୟ ବୃଦ୍ଧି ପାଇବା ଏହି ଦର ହ୍ରାସର ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଡଲାର ମଜବୁତ ହେବା ଫଳରେ ନିବେଶକମାନେ ସୁନାରୁ ନିଜର ପୁଞ୍ଜି ପ୍ରତ୍ୟାହାର କରି ନେଉଛନ୍ତି, ଯାହା ଫଳରେ ସୁନାର ଚାହିଦା କମି ମୂଲ୍ୟରେ ଧୀରେ ଧୀରେ ତଳକୁ ଖସୁଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ସ୍ଥିତି ସତ୍ତ୍ୱେ ସୁନା ଦର କମିବା ସାଧାରଣ ନିବେଶକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଆଗକୁ ବିବାହ ଋତୁ ଆସୁଥିବାରୁ ଏହି ଦର ହ୍ରାସ ମଧ୍ୟବିତ୍ତ ପରିବାରଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି। ସାଧାରଣତଃ ଶୁଭ ଅବସରରେ ସୁନା ଦର ଆକାଶଛୁଆଁ ହୋଇଥାଏ, ମାତ୍ର ଏଥର ସ୍ଥିତି ଓଲଟା ଦେଖିବାକୁ ମିଳିଛି। ବଜାରରେ ବେପାର ବଢ଼ୁଥିବାରୁ ବ୍ୟବସାୟୀମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି। ଯଦିଓ ଦର ଆହୁରି କମିବା ନେଇ କିଛି ଲୋକ ଅପେକ୍ଷା କରିଛନ୍ତି, ତଥାପି ବର୍ତ୍ତମାନର ମୂଲ୍ୟକୁ ଏକ ‘ସୁବର୍ଣ୍ଣ ସୁଯୋଗ’ ଭାବେ ବିବେଚନା କରି ଅନେକ ଲୋକ ସୁନା କିଣିବା ଆରମ୍ଭ କରିଦେଲେଣି।




