ଅନ୍ତର୍ଜାତୀୟ

ହାପିନେସ ତାଲିକାରେ ନମ୍ବର ୧ ଫିନଲ୍ୟାଣ୍ଡ

ଭୁବନେଶ୍ୱର,୨୩/୦୩/୨୦୨୬: ସାରା ବିଶ୍ୱରେ ଲୋକେ ଯେତେବେଳେ ମାନସିକ ଚାପ, ପ୍ରତିଯୋଗିତା ଏବଂ ଅଶାନ୍ତି ମଧ୍ୟରେ ଗତି କରୁଛନ୍ତି, ସେତେବେଳେ ୟୁରୋପର ଏକ ଛୋଟ ଦେଶ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି। ୱାର୍ଲଡ ହାପିନେସ୍ ରିପୋର୍ଟ ଅନୁଯାୟୀ, ଲଗାତାର ୭ମ ଥର ପାଇଁ ବିଶ୍ୱର ସବୁଠାରୁ ଖୁସି ଦେଶ ଭାବେ ବିବେଚିତ ହୋଇଛି ଫିନଲ୍ୟାଣ୍ଡ। କିନ୍ତୁ ପ୍ରଶ୍ନ ଉଠେ, ଏହି ଦେଶରେ ଏମିତି କ’ଣ ଯାଦୁ ଅଛି ଯାହା ଆମେରିକା କିମ୍ବା ଚୀନ୍ ଭଳି ଶକ୍ତିଶାଳୀ ଦେଶ ପାଖରେ ନାହିଁ? ଫିନଲ୍ୟାଣ୍ଡର ଏହି ସଫଳତା ପଛରେ କେବଳ ଧନ ସମ୍ପତ୍ତି ନୁହେଁ, ବରଂ ସେଠାକାର ସୁଦୃଢ଼ ସାମାଜିକ ବ୍ୟବସ୍ଥା ରହିଛି। ଏଠାରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ମାଗଣା, ଯାହା ଫଳରେ ଜଣେ ସାଧାରଣ ନାଗରିକଙ୍କୁ ନିଜ ପିଲାଙ୍କ ପାଠପଢ଼ା କିମ୍ବା ଚିକିତ୍ସା ପାଇଁ କେବେ ବି ଋଣ କରିବାକୁ ପଡ଼େ ନାହିଁ।

ଫିନଲ୍ୟାଣ୍ଡର ପ୍ରାୟ ୭୫ ପ୍ରତିଶତ ଅଞ୍ଚଳ ଜଙ୍ଗଲରେ ପୂର୍ଣ୍ଣ ଏବଂ ଏଠାରେ ହଜାର ହଜାର ହ୍ରଦ ରହିଛି। ସେଠାକାର ଲୋକେ ପ୍ରକୃତି ସହ ସମୟ ବିତାଇବାକୁ ବହୁତ ପସନ୍ଦ କରନ୍ତି। ସେମାନଙ୍କ ଜୀବନଶୈଳୀର ଏକ ପ୍ରମୁଖ ଶବ୍ଦ ହେଉଛି ‘ଶିଶୁ’ (Sisu), ଯାହାର ଅର୍ଥ ହେଉଛି ସକାରାତ୍ମକ ସାହସ ଏବଂ ଅଦମ୍ୟ ମନୋଭାବ। ଏଠାରେ ଲୋକଙ୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଏତେ ଅଧିକ ଯେ, ରାସ୍ତାରେ ପର୍ସଟିଏ ହଜିଗଲେ ମଧ୍ୟ ତାହା ଫେରି ପାଇବାର ସମ୍ଭାବନା ସବୁଠୁ ଅଧିକ। ସେମାନଙ୍କ ପାଇଁ ଖୁସି ମାନେ ବିଳାସପୂର୍ଣ୍ଣ ବଙ୍ଗଳା ନୁହେଁ, ବରଂ ଏକ ଶାନ୍ତିପୂର୍ଣ୍ଣ ଓ ସନ୍ତୋଷଜନକ ଜୀବନ। ଫିନଲ୍ୟାଣ୍ଡ ଆମକୁ ଶିଖାଏ ଯେ, ଯେତେବେଳେ ଏକ ଦେଶ ନିଜ ନାଗରିକଙ୍କୁ ସୁରକ୍ଷା, ସମାନତା ଏବଂ ସମ୍ମାନ ପ୍ରଦାନ କରେ, ସେତେବେଳେ ସେହି ଦେଶ ଆପେ ଆପେ ଖୁସି ହୋଇଯାଏ।

Related Articles

Back to top button