ମଧ୍ୟ ପ୍ରାଚ୍ୟ ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ପଦକ୍ଷେପ, ୫ ଦିନ ପର୍ଯ୍ୟନ୍ତ ପାୱାର ପ୍ଲାଣ୍ଟ ଉପରେ ହେବନି ଆକ୍ରମଣ


ନୂଆଦିଲ୍ଲୀ: ମଧ୍ୟ ପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଆନ୍ତର୍ଜାତୀୟ ଜାହାଜ ଚଳାଚଳ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବାକୁ ସେ ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଦିଆଯାଇଥିବା ୪୮ ଘଣ୍ଟାର ସମୟସୀମାକୁ ଏବେ ୫ ଦିନକୁ ବଢ଼ାଇ ଦିଆଯାଇଛି। ଏହା ସହିତ ଇରାନର ଶକ୍ତି କେନ୍ଦ୍ର (ପାୱାର ପ୍ଲାଣ୍ଟ) ଉପରେ ହେବାକୁ ଥିବା ସମ୍ଭାବ୍ୟ ଆକ୍ରମଣକୁ ମଧ୍ୟ ୫ ଦିନ ପାଇଁ ସ୍ଥଗିତ ରଖିବାକୁ ଟ୍ରମ୍ପ ଘୋଷଣା କରିଛନ୍ତି। ସୋମବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ରେ ଏହି ସୂଚନା ଦେଇ ଟ୍ରମ୍ପ କହିଛନ୍ତି ଯେ, ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତିକୁ ନେଇ ହୋଇଥିବା ଆଲୋଚନା ସଫଳ ହୋଇଛି। ଏହି ଆଲୋଚନା ପ୍ରକ୍ରିୟା ସପ୍ତାହେ ବ୍ୟାପି ଚାଲିବ। ଇରାନର ଶକ୍ତି କେନ୍ଦ୍ର ଉପରେ ଆକ୍ରମଣର ଧମକକୁ ସାମୟିକ ଭାବେ ଏଡ଼ାଇବା ଏହି ଆଲୋଚନାର ସଫଳତା ଉପରେ ନିର୍ଭର କରେ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଏହି ଆଲୋଚନା ବାବଦରେ ସେ କୌଣସି ବିସ୍ତୃତ ତଥ୍ୟ ପ୍ରଦାନ କରିନାହାନ୍ତି। ଅନ୍ୟପଟେ, ଇରାନ ପକ୍ଷରୁ ଏହି ଆଲୋଚନା ସମ୍ପର୍କରେ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ଇରାନ ବୈଦେଶିକ ମନ୍ତ୍ରୀ ଆବ୍ବାସ ଅର୍ଘାଚି ନିଜ ତୁର୍କୀ ପ୍ରତିପକ୍ଷ ହାକାନ ଫିଦାନଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ତେହେରାନ ଏବଂ ୱାଶିଂଟନ ମଧ୍ୟରେ ମଧ୍ୟସ୍ଥି ଭାବେ ତୁର୍କୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ସଂଯୁକ୍ତ ଆରବ ଏମିରେଟ୍ସ (UAE) ଇରାନର ଏକ ନୂତନ ଆକ୍ରମଣକୁ ପ୍ରତିହତ କରିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଟ୍ରମ୍ପଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସାମ୍ନାକୁ ଆସିଛି।




