ବିଶ୍ୱ ବନ ଦିବସ-୨୦୨୬: ବନ ସୁରକ୍ଷାରେ ଓଡ଼ିଶା ଦେଶର ଅଗ୍ରଣୀ, ଜଙ୍ଗଲକୁ ଜୀବିକାର ମାଧ୍ୟମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର, ୨୧ ମାର୍ଚ୍ଚ ୨୦୨୬: ପ୍ରକୃତିର ଅନନ୍ୟ ବରଦାନ ସବୁଜ ବନାନୀ ହିଁ ଆମ ଜୀବନ ଓ ଜୀବିକାର ଆଧାର। ଏହି ବାର୍ତ୍ତା ସହ ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟସ୍ତରୀୟ ‘ବିଶ୍ୱ ବନ ଦିବସ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଯେ, ବ୍ୟାପକ ବୃକ୍ଷରୋପଣ ଓ ଜନସଚେତନତା ଯୋଗୁଁ ଓଡ଼ିଶା ଆଜି ବନ ସୁରକ୍ଷା କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ୫୫୮ ବର୍ଗ କିଲୋମିଟର ବନ ଓ ବୃକ୍ଷ ଆବରଣ ବୃଦ୍ଧି ପାଇଛି, ଯାହା ଏକ ଶୁଭ ସୂଚନା। ବର୍ତ୍ତମାନ ରାଜ୍ୟର ସମୁଦାୟ ଭୂମିର ୩୭.୬୩ ପ୍ରତିଶତ ଜଙ୍ଗଲ ପରିପୂର୍ଣ୍ଣ ରହିଛି। ପ୍ରଧାନମନ୍ତ୍ରୀଙ୍କ ‘ଏକ ପେଡ୍ ମା’ କେ ନାମ୍’ ଅଭିଯାନରେ ଓଡ଼ିଶା ଗୋଟିଏ ବର୍ଷରେ ୮ କୋଟିରୁ ଅଧିକ ଚାରାରୋପଣ କରି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି।
ଚଳିତ ବର୍ଷର ବିଷୟବସ୍ତୁ ‘ଜଙ୍ଗଲ ଓ ଅର୍ଥନୀତି’ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଙ୍ଗଲ କେବଳ ପରିବେଶ ପାଇଁ ନୁହେଁ, ବରଂ ରାଜ୍ୟର ବିକାଶ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ ସୁରକ୍ଷା ସହିତ ଏହାକୁ ଜୀବିକା ଅର୍ଜନର ଏକ ପ୍ରମୁଖ ମାଧ୍ୟମ ଭାବେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଶିଳ୍ପାୟନ ଓ ପରିବେଶ ମଧ୍ୟରେ ଉପଯୁକ୍ତ ସନ୍ତୁଳନ ରକ୍ଷା କରାଗଲେ ଉଭୟ ପରସ୍ପରର ପରିପୂରକ ହୋଇପାରିବେ ବୋଲି ସେ ମତ ଦେଇଥିଲେ। ଏଥିସହ ଜଙ୍ଗଲ ନିଆଁ ଏବଂ ମନୁଷ୍ୟ-ବନ୍ୟଜନ୍ତୁ ସଂଘର୍ଷ ରୋକିବା ଦିଗରେ ଅଧିକ ଯତ୍ନବାନ ହେବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷକରି ମନୁଷ୍ୟକୃତ ଜଙ୍ଗଲ ନିଆଁ କ୍ଷେତ୍ରରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଜଙ୍ଗଲ ଭିତ୍ତିକ ଅର୍ଥନୀତି ଓ ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବିଷୟରେ ଆଲୋଚନା କରିଥିଲେ। ୨୦୪୭ ସୁଦ୍ଧା ଓଡ଼ିଶା ଅର୍ଥନୀତିରେ ଜଙ୍ଗଲ ବିଭାଗର ଏକ ବଡ଼ ଭୂମିକା ରହିବ ଏବଂ ଏହାକୁ ଏକ ‘Green Economy’ ଭାବେ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଙ୍ଗଲ ସୁରକ୍ଷା ସମ୍ବନ୍ଧିତ ପୁସ୍ତକ ଉନ୍ମୋଚନ କରିବା ସହ ଉତ୍ତମ ସେବା ପ୍ରଦାନ କରିଥିବା ବନ ବିଭାଗର କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ। ଜଙ୍ଗଲ ନିକଟରେ ରହୁଥିବା ଆଦିବାସୀ ଓ ଅନ୍ୟ ଲୋକଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିବ ବୋଲି ବୈଠକରେ ସୂଚନା ଦିଆଯାଇଛି।




