
ଭୁବନେଶ୍ୱର, ୨୦ ମାର୍ଚ୍ଚ ୨୦୨୬: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସର କଡ଼ା ଜବାବ ରଖିଛନ୍ତି ଦଳର ୬ ବିଧାୟକ। ଏହି ନୋଟିସର ଉତ୍ତର ଦେଇ ବିଧାୟକମାନେ ଦର୍ଶାଇଛନ୍ତି ଯେ, ବିଜେଡି ପକ୍ଷରୁ ଜାରି ହୋଇଥିବା ଏହି ନୋଟିସ୍ ଭାରତୀୟ ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶନାମା ଏବଂ ସୁପ୍ରିମକୋର୍ଟଙ୍କ ରାୟର ସ୍ପଷ୍ଟ ଉଲ୍ଲଙ୍ଘନ। ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ କୌଣସି ଦଳୀୟ ‘ହ୍ବିପ୍’ କାର୍ଯ୍ୟକାରୀ ହୁଏ ନାହିଁ ବୋଲି ସେମାନେ ନିଜ ସଫେଇରେ ଉଲ୍ଲେଖ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିଧାୟକମାନେ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି।
ବିଧାୟକମାନେ ସେମାନଙ୍କ ଉତ୍ତରରେ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟ ସଚେତକ ହ୍ବିପ୍ ଜାରି କରି ଏକ ବେଆଇନ କାର୍ଯ୍ୟ କରିଛନ୍ତି। ସେମାନଙ୍କ ମତରେ, ଜଣେ ବିଧାୟକଙ୍କୁ କାହାକୁ ଭୋଟ୍ ଦେବା ପାଇଁ କହିବା କିମ୍ବା ଭୋଟ୍ ଦେବାରୁ ବିରତ ରହିବା ପାଇଁ ପ୍ରବର୍ତ୍ତାଇବା ଏକ ଦଣ୍ଡନୀୟ ଅପରାଧ। ସମ୍ବିଧାନ ଏବଂ ନିର୍ବାଚନୀ ନିୟମ ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ ବିଧାୟକମାନେ ନିଜର ବିବେକ ଅନୁସାରେ ମତଦାନ କରିବାର ଅଧିକାର ରଖନ୍ତି ଏବଂ ଏଥିରେ ଦଳୀୟ କଟକଣା ପ୍ରଯୁଜ୍ୟ ନୁହେଁ। ଏହି ଆଇନଗତ ଦିଗକୁ ଆଧାର କରି ବିଧାୟକମାନେ ଦଳର ନୋଟିସକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି।
ଏହି ଘଟଣା ଏବେ ରାଜ୍ୟ ରାଜନୀତିରେ ଏକ ନୂଆ ବିବାଦ ସୃଷ୍ଟି କରିଛି। ବିଜେଡି ଭିତରେ ଥିବା ଏହି ଆଭ୍ୟନ୍ତରୀଣ କନ୍ଦଳ ଏବଂ ବିଧାୟକଙ୍କ ବିଦ୍ରୋହୀ ମନୋଭାବ ଦଳୀୟ ଶୃଙ୍ଖଳା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦିଓ ଦଳ ପକ୍ଷରୁ ଏହି ୬ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରାଯାଉଥିଲା, ମାତ୍ର ବିଧାୟକଙ୍କ ଆଇନଗତ ଯୁକ୍ତି ଏବଂ ପାଲଟା ମାମଲା କରିବାର ଧମକ ଏବେ ଦଳୀୟ ନେତୃତ୍ୱଙ୍କୁ ଚିନ୍ତାରେ ପକାଇଛି। ଏହି ମାମଲା ଆଗାମୀ ଦିନରେ କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।




