ପଖାଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ପଖାଳ, ଓଡ଼ିଆଙ୍କ ଆବେଗ । ସକାଳ ହେଉ କି ସଞ୍ଜ, ସବୁବେଳେ ଓଡ଼ିଆଙ୍କ ପସନ୍ଦ ପଖାଳ କଂସା । ପଖାଳ କଂସାରେ ଥାଏ ଓଡ଼ିଆଙ୍କ ପ୍ରାଣ । ଗାଁ ହେଉ କି ସହର, ପଖାଳର ବାସ୍ନା ସବୁଠି ମହକିଥାଏ । ଆଜି ବିଶ୍ବ ପଖାଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ରାଜନେତା ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପଖାଳ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ଏହା ଆମ ମାଟିର ବାସ୍ନା, ଆମ ପରମ୍ପରାର ଗୌରବ ଏବଂ ଓଡ଼ିଆ ଜୀବନଶୈଳୀର ଏକ ଅଭିନ୍ନ ଅଙ୍ଗ । ଆଜି ‘ପଖାଳ ଦିବସ’ ଅବସରରେ ସମସ୍ତ ଓଡ଼ିଶାବାସୀ ଓ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଆସନ୍ତୁ, ଆମର ଏହି ପାରମ୍ପରିକ ଖାଦ୍ୟର ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ସୁଦୃଢ଼ କରିବା ।
ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି, “ପଖାଳ ଦିବସ ଅବସରରେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ପଖାଳ କେବଳ ଏକ ସାଧାରଣ ଖାଦ୍ୟ ନୁହେଁ, ଏହା ଓଡ଼ିଆ ଜୀବନ ଶୈଳୀର ସରଳତା ଓ ପରମ୍ପରାର ଜୀବନ୍ତ ପ୍ରତୀକ । ଆସନ୍ତୁ, ଏହି ପବିତ୍ର ଦିନରେ ପଖାଳର ସ୍ୱାଦକୁ ଉପଭୋଗ କରିବା ସହିତ ଆମ ଓଡ଼ିଆ ସଂସ୍କୃତି ଓ ଅସ୍ମିତାକୁ ରୁଦ୍ଧିମନ୍ତ କରିବା ।
” ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, “ସମସ୍ତ ଓଡ଼ିଶାବାସୀଙ୍କୁ ‘ପଖାଳ ଦିବସ’ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ପଖାଳ କେବଳ ଆମର ଏକ ପ୍ରିୟ ଖାଦ୍ୟ ନୁହେଁ, ବରଂ ଏହା ଓଡ଼ିଆ ଅସ୍ମିତା ଓ ପରମ୍ପରାର ପ୍ରତୀକ । ଆସନ୍ତୁ, ଆଜିର ଏହି ଦିନକୁ ଆନନ୍ଦର ସହ ପାଳନ କରିବା ସହିତ ଆମ ସଂସ୍କୃତିର ଏହି ଅନନ୍ୟ ସ୍ବାଦକୁ ଉପଭୋଗ କରିବା ।
”ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, “ଓଡ଼ିଆଙ୍କ ଜୀବନ ଧନ କୁହାଯାଉଥିବା ପଖାଳ କଂସା କେବଳ ଖାଦ୍ୟ ବିଶେଷ ନୁହେଁ, ଏହା ପ୍ରତି ଓଡ଼ିଆଙ୍କ ଆବେଗ । ପଖାଳ ଦିବସ ଅବସରରେ ସମସ୍ତ ପଖାଳପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।
” କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,’ପଖାଳ’ ହେଉଛି ଓଡ଼ିଆ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଓଡ଼ିଶାର କୃଷି ଓ ପରମ୍ପରା ସହିତ ପଖାଳର ସମ୍ପର୍କ ଅତୁଟ । ଏହା କେବଳ ଏକ ବ୍ୟଞ୍ଜନ ନୁହେଁ, ବରଂ ଏହା ଆମ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ । ସମସ୍ତଙ୍କୁ ‘ପଖାଳ ଦିବସ’ର ହାର୍ଦ୍ଦିକ ଅଭିନନ୍ଦନ ।”




