ଓଡ଼ିଶାରାଜନୀତି

କ୍ରସ ଭୋଟିଂ ପାଇଁ କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ: ୩ ବିଧାୟକ ନିଲମ୍ବିତ

ଭୁବନେଶ୍ୱର, ୧୭ ମାର୍ଚ୍ଚ ୨୦୨୬: ରାଜ୍ୟସଭା ନିର୍ବାଚନରେ ଦଳୀୟ ହୁଇପ୍ ଉଲ୍ଲଙ୍ଘନ କରି କ୍ରସ ଭୋଟିଂ କରିବା କଂଗ୍ରେସ ବିଧାୟକଙ୍କ ପାଇଁ ମହଙ୍ଗା ପଡ଼ିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦେଶ କଂଗ୍ରେସ କମିଟି ୩ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଛି। ନିଲମ୍ବିତ ହୋଇଥିବା ବିଧାୟକମାନେ ହେଲେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍‌ଦୋସ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଏବଂ ମୋହନା ବିଧାୟକ ଦାଶରଥି ଗମାଙ୍ଗ। କଂଗ୍ରେସ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଏହି ନେତାମାନେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ସହାୟତା କରିଥିଲେ ।

ଏହି ଘଟଣାରେ କେବଳ ବିଧାୟକ ନୁହଁନ୍ତି, ବରଂ ଦଳୀୟ ସଙ୍ଗଠନରେ ମଧ୍ୟ ବଡ଼ ଧରଣର ଛାଟ ବାଜିଛି। କଟକ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯାଇଛି। କଂଗ୍ରେସ ହାଇକମାଣ୍ଡଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଓ ଦଳୀୟ ହୁଇପ୍ ସତ୍ତ୍ୱେ ଏହି ନେତାମାନେ ନିର୍ଦ୍ଦେଶ ଅମାନ୍ୟ କରିଥିବାରୁ ଏଭଳି କଠୋର ପଦକ୍ଷେପ ନିଆଯାଇଥିବା ପ୍ରଦେଶ କଂଗ୍ରେସ ସୂଚନା ଦେଇଛି।

ନିଲମ୍ବନ ପରେ ଏହି ୩ ବିଧାୟକଙ୍କୁ ଦଳରୁ ସ୍ଥାୟୀ ଭାବେ ବହିଷ୍କାର କରିବା ପାଇଁ ଏଆଇସିସି ହାଇକମାଣ୍ଡଙ୍କୁ ଚିଠି ଲେଖାଯାଇ ସୁପାରିଶ କରାଯାଇଛି। ଏହାସହିତ ବିଧାନସଭାରୁ ସେମାନଙ୍କର ସଭ୍ୟପଦ ରଦ୍ଦ କରିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଦେଶ କଂଗ୍ରେସ ପକ୍ଷରୁ ଏ ନେଇ ବାଚସ୍ପତିଙ୍କୁ ପତ୍ର ଲେଖାଯାଇଛି। ଦଳ ଭିତରେ ଶୃଙ୍ଖଳା ରକ୍ଷା କରିବା ପାଇଁ କଂଗ୍ରେସ ଏହି ବଡ଼ ନିଷ୍ପତ୍ତି ନେଇଥିବା ବେଳେ ଏହା ଓଡ଼ିଶା ରାଜନୀତିରେ ଏକ ନୂଆ ବିତର୍କ ସୃଷ୍ଟି କରିଛି।

 

Related Articles

Check Also
Close
Back to top button