କାନାଡାରେ ଖଲିସ୍ତାନ ସପକ୍ଷରେ ଜନମତ ଗ୍ରହଣକୁ ଭାରତର ବିରୋଧ

କାନାଡ଼ାର ଅଣ୍ଟେରିଓଠାରେ ନଭେମ୍ବର ୬ ତାରିଖରେ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ଦ୍ବାରା ଖଲିସ୍ତାନ ସପକ୍ଷରେ ଯେଉଁ ଜନମତ ଗ୍ରହଣ ପାଇଁ ଆୟୋଜନ କରାଯାଉଛି ତାହାକୁ ରୋକିବା ପାଇଁ ନରେନ୍ଦ୍ର ମୋଦୀ ସରକାର କାନାଡ଼ାର ଜଷ୍ଟିନ୍ ଟ୍ରୁଡୁ ସରକାରଙ୍କୁ ଅନୁରୋଧ କରିଛନ୍ତି। କାରଣ ଏହା ଭାରତର ଅଖଣ୍ଡତା ଓ ସାର୍ବଭୌମତା ପ୍ରତି ଆହ୍ବାନ ସୃଷ୍ଟି କରୁଛି ବୋଲି ଭାରତ ଅଭିଯୋଗ କରିଛି। ଶିଖ୍ ଉଗ୍ରବାଦୀ ଜିଏସ୍ ପନ୍ନୁଙ୍କ ଦ୍ବାରା ପରିଚାଳିତ ନିଷିଦ୍ଧ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ ପକ୍ଷରୁ କାନାଡ଼ାରୁ ଭାରତ ବିରୋଧୀ ଓ ଖଲିସ୍ତାନ ସପକ୍ଷବାଦୀ ଅଭିଯାନ ଚଳାଇଛି। ଭାରତ ଏହାକୁ ବିରୋଧ କଲେ ବି କାନାଡ଼ାର ଟ୍ରୁଡ଼ୁ ସରକାର ଗୋଟିଏ ଧାଡ଼ିରେ ତାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଟ୍ରୁଡ଼ୁ କହିଛନ୍ତି, ତାଙ୍କ ଦେଶରେ ସମାବେଶ କରିବା ଓ ସ୍ବାଧୀନ ମତ ପ୍ରକାଶ କରିବା ପାଇଁ ସମସ୍ତେ ସ୍ବାଧୀନ। ଯେପର୍ଯ୍ୟନ୍ତ ସେମାନେ ଶାନ୍ତିପୂର୍ଣ୍ଣଭାବେ ଏହା କରୁଥିବେ ସେ ପର୍ଯ୍ୟନ୍ତ ସରକାର ହସ୍ତକ୍ଷେପ କରିବେ ନାହିଁ। କାନାଡ଼ାରେ ଥିବା ଭାରତବିରୋଧୀ ଗୋଷ୍ଠୀଙ୍କ ଭୋଟ ପାଇବା ପାଇଁ ଟ୍ରୁଡୁ ସରକାର ମଧ୍ୟ ଭାରତବିରୋଧୀ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ପାକିସ୍ତାନୀ କୂଟନୀତିଜ୍ଞମାନେ ନିଆଁରେ ଘିଅ ଢାଳୁଛନ୍ତି। ତେବେ ରୁଷିଆ ୟୁକ୍ରେନ୍ରେ ତା’ର ଅଧିକୃତ ଅଞ୍ଚଳରେ ଜନମତ ନେବା ପ୍ରସ୍ତାବକୁ କାନାଡ଼ା ପ୍ରଧାନମନ୍ତ୍ରୀ ଦୃଢ଼ଭାବରେ ବିରୋଧ କରିଥିବା ବେଳେ ଭାରତରେ ବିଭାଜନ ଘଟାଇ ଖଲିସ୍ତାନ ସୃଷ୍ଟି ପାଇଁ ଦାବି କରୁଥିବା ନିଷିଦ୍ଧ ସଂଗଠନକୁ ପ୍ରଶ୍ରୟ ଦେବା ଦୋମୁହାଁ ନୀତିର ପରିଚୟ ଦେଉଛି। ଭାରତ ତା’ର ଆପତ୍ତି ଜଣାଇଛି ଏବଂ କୂଟନୈତିକ ସ୍ତରରେ ନଭେମ୍ବର ୬ର କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଚେଷ୍ଟା କରୁଛି।




